ଓଡ଼ିଆ ଭାରତର ଅନ୍ୟତମ ଶାସ୍ତ୍ରୀୟ ଭାଷା। ଓଡ଼ିଆ ସଂସ୍କୃତି ଭାରତର ବହୁ ସଂସ୍କୃତିସଂପନ୍ନ ବିବିଧ ଭିତ୍ତିଭୂମିର ମୌଳିକ ସୁଗନ୍ଧକୁ ପ୍ରତିନିଧିତ୍ଵ କରେ ।

ଆଧୁନିକ ଭାରତରେ ଭାଷାଭିତ୍ତିରେ ପୁନର୍ଗଠିତ ହେବାରେ ଓଡ଼ିଶା ସର୍ବପ୍ରଥମ ରାଜ୍ୟ । ରାଜ୍ୟବାସୀ ଓଡ଼ିଶା ପ୍ରଦେଶ ଗଠନର ୮୦ ବର୍ଷ ପୂର୍ତ୍ତି ମହାସମାରୋହରେ ପାଳନ କରି ଦୃଷ୍ଟିଭଙ୍ଗୀ-୨୦୩୬ ନିମନ୍ତେ ଅନୁଚିନ୍ତା ପରିପ୍ରକାଶ କରୁଥିବା ସମୟରେ ଓଡ଼ିଶାର ସମୃଦ୍ଧ ସାହିତ୍ୟ ଓ ସାଂସ୍କୃତିକ ସଂପଦର ସଂରକ୍ଷଣ ଓ ପ୍ରସାର ନିମନ୍ତେ ‘‘ଓଡ଼ିଆ ଭର୍ଚୁଆଲ ଏକାଡ଼େମୀ’’ ସଂସ୍ଥାପନା ଓଡ଼ିଆ ଭାଷା ତଥା ଓଡ଼ିଆଭାଷୀଙ୍କ ପାଇଁ ଏକ ବିନମ୍ର ପ୍ରୟାସ ।

ବିଶ୍ୱର ଯେକୌଣସି ପ୍ରାନ୍ତରେ ଥିବା ଓଡ଼ିଆ ତଥା ଓଡ଼ିଆ ଭାଷା ଓ ଏହାର ଗୌରବମୟ ଐତିହ୍ୟ ସଂପର୍କରେ ରୁଚି ରଖୁଥିବା ଯେ କୌଣସି ଜିଜ୍ଞାସୁଙ୍କ ନିମନ୍ତେ ଓଡ଼ିଆ ଭାଷା ଓ ସାହିତ୍ୟର ଏହି ଅମୂଲ୍ୟ ଗନ୍ତାଘରର ନିରନ୍ତର ଅନ୍ୱେଷଣକୁ ଅପ୍ରତିହତ ରଖିବା ପାଇଁ ଓଡ଼ିଶା ସରକାର ଦୃଢ଼ ପ୍ରତିଜ୍ଞ । ଶିଳାଲେଖ, ତାଳପତ୍ର ପୋଥି ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ମୁଦ୍ରଣ କୌଶଳର ପ୍ରୟୋଗରେ ଓଡ଼ିଆ ସଭ୍ୟତାର ଯାତ୍ରାକୁ ଲିପିବଦ୍ଧ କରାଯାଇପାରିଛି । ସମଗ୍ର ବିଶ୍ୱ ଡିଜିଟାଲ ସ୍ତରକୁ ଉନ୍ନୀତ ହେଉଥିବା ବେଳେ ଓଡ଼ିଆ ସଭ୍ୟତାର ଏହି ଯାତ୍ରାକୁ ଭବିଷ୍ୟତର ଆବଶ୍ୟକତା ଅନୁଯାୟୀ ପରିବର୍ତ୍ତିତ କରିବା ଅନିବାର୍ଯ୍ୟ ହୋଇପଡ଼ିଛି ।

‘‘ଓଡ଼ିଆ ଭର୍ଚୁଆଲ ଏକାଡ଼େମୀ’’ ଏ ଦିଗରେ ଏକ ବିନମ୍ର ପଦକ୍ଷେପ । ଏହି ଏକାଡେମୀ ସମସ୍ତ ଓଡ଼ିଆ ପ୍ରେମୀଙ୍କୁ ଏହି ଉଦ୍ୟମରେ ସହଭାଗୀ ରୂପେ ସ୍ୱାଗତ କରୁଛି । ଏହା ଏକ ସମ୍ମିଳିତ ପ୍ରୟାସ। ସମସ୍ତ ପ୍ରକାରର ଗଠନମୂଳକ ପ୍ରସ୍ତାବ ତଥା ଅବଦାନ ଦ୍ୱାରା ଏହି ପ୍ରୟାସକୁ ପୂର୍ଣ ମାତ୍ରାରେ ସଫଳ କରିବା ପାଇଁ ଆମେ ନିବେଦନ କରୁଛୁ । ସମସ୍ତ ଆଗ୍ରହୀ ବ୍ୟକ୍ତିବିଶେଷଙ୍କ ଠାରୁ ସକାରାତ୍ମକ ତଥା ସୃଜନଶୀଳ ପରାମର୍ଶର ଆକାଂକ୍ଷା ରଖି ଏହି ପ୍ରାରମ୍ଭିକ ଉପସ୍ଥାପନା କରାଯାଉଛି । ଏ ଉଦ୍ୟମର ଅଗ୍ରଗତି ସହିତ ଏହି ଭର୍ଚୁଆଲ ସମ୍ବଳର ଆତ୍ମା ଏବଂ ପରିପ୍ରକାଶର ନିରନ୍ତର ଅଭିବୃଦ୍ଧି ଘଟିବ ।

ବନ୍ଦେ ଉତ୍କଳ ଜନନୀ